ନୂଆଦିଲ୍ଲୀ ୧୫।୧୦: ଗୋଟିଏ ପଟେ ସଲମାନ ଖାନ । ଅନ୍ୟ ପଟେ ଲରେନ୍ସ ବିଷ୍ଣୋୟୀ । କେତେବେଳେ ଧମକ, କେତେବେଳେ ଫାୟାରିଂ । ବେଳେବେଳେ ସଲୁଙ୍କ ଘନିଷ୍ଠଙ୍କୁ ଆକ୍ରମଣ । ଏ ଶୀତଳ ଯୁଦ୍ଧ ଆଜିର ନୁହେଁ ବରଂ ବହୁ ବର୍ଷ ପୁରୁଣା । ବିଷ୍ଣୋଇ ଗ୍ୟାଙ୍ଗ ଭାଇଜାନଙ୍କୁ ବାରମ୍ବାର ଚେକ୍ ଦେଉଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧମକ, ଫାୟାରିଂ, ହତ୍ୟା କରି କ’ଣ ପ୍ରମାଣ କରିବାକୁ ଚାହୁଁଛି ?
ସଲମାନ ଖାନ ଏବଂ ଲରେନ୍ସ ମଧ୍ୟରେ ଛକାପଞ୍ଝା । ଶତ୍ରୁତାର କାରଣ କୃଷ୍ଣସାର ହରିଣ ହତ୍ୟା ମାମଲା । ଲରେନ୍ସ ଚାହୁଁଛି ସଲମାନ ଖାନ କ୍ଷମା ମାଗନ୍ତୁ । ମାତ୍ର ଭାଇଜାନ ନିଜ ଜିଦରେ ଅଟଳ । ଯେତେବେଳେ ସେ କୌଣସି ଅପରାଧ କରିନାହାନ୍ତି କାହିଁକି ମକ୍ଷା ମାଗିବେ ବୋଲି ପ୍ରଶ୍ନ କରିଛନ୍ତି । ଫଳରେ ଗ୍ୟାଙ୍ଗଷ୍ଟର ନିଜ ଅନ୍ଦାଜରେ ଓ୍ବାଣ୍ଟେଡ୍ ବଏକୁ ଜୀବନରୁ ମାରିଦେବାକୁ ବାରମ୍ବାର ଯୋଜନା କରୁଛି ।
ଜେଲରେ ବସି ଚ୍ୟାଲେଞ୍ଜ ଦେଉଛି ଲରେନ୍ସ ବିଷ୍ଣୋୟୀ । ଜାତୀୟ ଏଜେନ୍ସିର ନିଦ ହଜାଇ ଦେଇଛି ଗ୍ୟାଙ୍ଗଷ୍ଟାର । କେତେବେଳେ ମୋବାଇରୁ ତ କେତେବେଳେ ଇ-ମେଲରେ ଧମକ । ଭାଇଜାନଙ୍କ ବନ୍ଧୁ ଟାର୍ଗେଟ୍ କରୁଛି ବିଷ୍ଣୋୟୀ ଗ୍ରୁପ । ଏସିପି ନେତା ବାବା ସିଦ୍ଦିକିକୁ ହତ୍ୟା କରିବା ପରେ ସଲମାନ ଖାନଙ୍କ ମୁଣ୍ଡବିନ୍ଧା ବଢ଼ିଛି । ମୁମ୍ବାଇ ପୋଲିସ ଗାଲାକ୍ସି ଆପାର୍ଟମେଣ୍ଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଥିଲେ ମଧ୍ୟ ଭୟରେ ଦବଙ୍ଗ ଖାନ୍ ଫିଲ୍ମ ସୁଟିଂ ସହ ସମସ୍ତ ପ୍ରକାର ମିଟିଂ ଏବଂ ଟିଭି ଶୋ’କୁ ବାତିଲ୍ କରିଛନ୍ତି ।
ସେପଟେ ବାବା ସିଦ୍ଦିକିଙ୍କ ହତ୍ୟା ନେଇ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋୟୀ ଗ୍ରୁପ୍ । ସିଦ୍ଦିକି ସଲମାନ ଖାନ ଏବଂ ଦାଉଦ ଇବ୍ରାହିମର ନିକଟତର ଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଏକ ସୋସିଆଲ୍ ମିଡିଆ ପୋଷ୍ଟରେ କହିଛି । ସଲମାନ ଖାନଙ୍କ ସହ ଯିଏ ବନ୍ଧୁତ୍ବ ବଢ଼ାଇ ସେମାନେ ବି ଟାର୍ଗେଟ୍ ଜୋନକୁ ଆସିବେ ବୋଲି ଗ୍ୟାଙ୍ଗଷ୍ଟର କହିଛି । ସିଦ୍ଦିକିଙ୍କ ପୂର୍ବରୁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲା । ପରେ ଲରେନ୍ସ ଗ୍ୟାଙ୍ଗ ମଧ୍ୟ ପଞ୍ଜାବୀ ଗାୟକ ଜିପି ଗ୍ରେଆଲ ଏବଂ ଏପି ଧିଲନଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲା । ଜେଲରୁ ବସି ମୁମ୍ବାଇ ପୋଲିସକୁ ଓପେନ ଚ୍ୟାଲେଞ୍ଜ ଦେଇଛି ଗ୍ୟାଙ୍ଗଷ୍ଟର ।